ବିମାନରେ ମନ୍ତ୍ରୀଙ୍କୁ ମିଳିଲାନି ଭଲ ସିଟ୍, ଟ୍ୱିଟ୍‌ କରି ଝାଡ଼ିଲେ ଅସନ୍ତୋଷ, କ୍ଷମା ମାଗିଲା କମ୍ପାନୀ

Published By : Prameya-News7 Bureau | February 22, 2025 IST

ନୂଆଦିଲ୍ଲୀ ୨୨/୦୨: କେନ୍ଦ୍ରମନ୍ତ୍ରୀଙ୍କୁ ବି ବିମାନରେ ମିଳୁନି ସୁବିଧା ସୁଯୋଗ । ଚିରା ଫଟା ସିଟ୍‌ରେ ଯାତ୍ରା କଲେ । ଆଉ ଟ୍ୱିଟ୍ କରି କ୍ଷୋଭ ଝାଡିବା ପରେ କ୍ଷମା ମାଗିଲା ବିମାନ କମ୍ପାନୀ । କଥାଟା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ଭାବୁଥିବେ ଏମିତି କେମିତି ହେଲା ? କେନ୍ଦ୍ରମନ୍ତ୍ରୀ ଏନେଇ ଟ୍ୱିଟ୍‌ କରିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ । ସେପଟେ ଏନେଇ ବିମାନ କର୍ତ୍ତୃପକ୍ଷ ବି କରି ମାଗିଛନ୍ତି କ୍ଷମା । 

ସୂଚନା ଥାଉକି, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ । ଭୋପାଳରୁ ଦିଲ୍ଲୀ ଗସ୍ତରେ ଥିଲେ ମନ୍ତ୍ରୀ । ଏୟାରଇଣ୍ଡିଆ ବିମାନରେ ଯାତ୍ରା କରୁଥିଲେ ସେ । କିନ୍ତୁ କର୍ତ୍ତୃପକ୍ଷ ତାଙ୍କ ପାଇଁ ଆଲର୍ଟ କରିଥିବା ସିଟ୍‌କୁ ନେଇ ଝାଡିଛନ୍ତି ନିଜର ଅସନ୍ତୋଷ । କେବଳ କ୍ଷୁବ୍ଧ ହୋଇନାହାଁନ୍ତି ତ ସିଟ୍‌ର ଅବସ୍ଥା କେମିତି ଅଛି ସେନେଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି । 

ଶିବରାଜ କହିଛନ୍ତି, ଏୟାର ଇଣ୍ଡିଆ ଏଆଇ ୪୩୬ରେ ସେ ଟିକେଟ୍‌ କରିଥିଲେ । ସିଟ୍‌ ନମ୍ବର ଥିଲା ୮ସି । ହେଲେ ସେ ସିଟ୍ ପାଖରେ ପହଞ୍ଚିବା ବେଳକୁ ଦେଖିଥିଲେ କି, ସିଟ୍‌ରେ ବସିବା କଷ୍ଟକର ଥିଲା । ତଥାପି ଜରୁରୀ କାମ ଥିବାରୁ ମନ୍ତ୍ରୀ ସେହି ସିଟ୍‌ରେ ବସି ଯାତ୍ରା କରିଥିଲେ । ମନ ସମ୍ଭାଳି ହେଲାନି ବୋଲି ପୂରା ଘଟଣାର ଫଟୋ ଉଠାଇ ସୋସିଆଲ ମିଡିଆର ଏକ୍ସ ପ୍ଲାର୍ଟଫର୍ମରେ ସେୟାର କରି ଏୟାରଇଣ୍ଡିଆଙ୍କୁ କରିଥିଲେ ଟ୍ୟାଗ । 

ବିମାନରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ମନ୍ତ୍ରୀ ପ୍ରଶ୍ନ କରିଥିଲେ ଏମିତି ସିଟ୍‌ ଆପଣ କେମିତି ଦେଲେ । ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ କର୍ମଚାରୀ କହିଥିଲେ, ଆମେ ଏହି ସିଟ୍‌ରେ ଯାତ୍ରୀ କରାଇବାକୁ ଆଦୌ ସହମତି ଦେଇନଥିଲୁ । ବିମାନରେ ଏମିତି ଆହୁରି ସିଟ୍‌ ରହିଛି ଯାହା ବସିବା ଲାଗି ଉପଯୋଗୀ ନୁହେଁ । ମନ୍ତ୍ରୀଙ୍କୁ ବି ଅନ୍ୟ ସିଟ୍‌ରେ ବସି ଯାତ୍ରା କରିବାକୁ କର୍ମଚାରୀମାନେ ଅନୁରୋଧ କରିଥିଲେ । ହେଲେ ମନ୍ତ୍ରୀ କହିଥିଲେ, ନିଜ ସୁବିଧା ଲାଗି ଅନ୍ୟଯାତ୍ରୀଙ୍କୁ କଷ୍ଟଦେବା ଆଦୌ ଠିକ୍‌ ହେବ ନାହିଁ । ତେଣୁ ସେହି ଫଟା ସିଟ୍‌ରେ ବସି ମନ୍ତ୍ରୀ ଯାତ୍ରା କରିଥିବା ନେଇ ସୂଚନା ମିଳିଛି । 

କଣ କହିଲେ ମନ୍ତ୍ରୀ ?

ଯାତ୍ରା ପରେ ମନ୍ତ୍ରୀ କହିଛନ୍ତି, ମୁଁ ଭାବୁଥିଲି ଏୟାରଇଣ୍ଡିଆକୁ ଟାଟା ନେବା ପରେ ଅବସ୍ଥାରେ ସୁଧାର ଆସିଥିବ । ହେଲେ ମୁଁ ଭ୍ରମରେ ଥିଲି । ପୂର୍ବରୁ ଯେଉଁ ସମସ୍ୟା ଦେଖାଯାଉଥିଲା ବର୍ତ୍ତମାନ ସମୟରେ ବି ସେହି ଅବସ୍ଥା ଦେଖାଯାଇଛି । ଯାତ୍ରୀମାନଙ୍କଠାରୁ ଟଙ୍କା ନେବା ପରେ ବି ସେମାନଙ୍କୁ ଏମିତି ସିଟ୍‌ରେ ବସାଇ ଯାତ୍ରା କରାଇବା ଆଦୌ ଠିକ୍‌ କଥା ନୁହେଁ । 

ଏହାସହ ସେ କମ୍ପାନୀକୁ ପ୍ରଶ୍ନ କରିଛନ୍ତି, ଆଗାମୀ ଦିନରେ ଏମିତି ଭୁଲ ହେବ ନାହିଁ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେବାର ଆବଶ୍ୟକତା ରହିଛି । ସେପଟେ କମ୍ପାନୀ ଏନେଇ କ୍ଷମା ପ୍ରାର୍ଥନା କରିବା ସହିତ ଆଗାମୀ ଦିନରେ ଯେପରି ଭାବରେ କୌଣସି ଯାତ୍ରୀଙ୍କୁ କଷ୍ଟ ନହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛି । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.